//BREAKING//
Loading...

ରୋଚକ ମୋଡ଼ରେ ଲର୍ଡସ୍‌ ଲଢ଼େଇ


 ଲଣ୍ଡନ: ଭାରତ-ଇଂଲଣ୍ଡ ଲର୍ଡସ୍ ଟେଷ୍ଟ୍‌ ରୋଚକ ସ୍ଥିତିରେ ପହଞ୍ଚିଯାଇଛି। ଇଂଲଣ୍ଡ ୧୯୩ ରନ୍‌ର ଲକ୍ଷ୍ୟ ଦେବା ପରେ ଭାରତ ଚତୁର୍ଥ ଦିନ ଷ୍ଟମ୍ପ୍ସ ବେଳକୁ ୪ ୱିକେଟ୍ ହରାଇ ୫୮ ରନ୍ କରିଛି। ଏଣୁ ଐତିହାସିକ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶି‌ଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହେବାଠାରୁ ୧୩୫ ରନ୍ ଦୂରରେ ରହିଛି ଭାରତ। ହାତରେ ଅଛି ୬ ୱିକେଟ୍। ଜୟସ୍ବାଲ, ନାୟର, ଗିଲ୍‌ଙ୍କ ୱିକେଟ୍ ଗଡ଼ିବା ଭରତ ପାଇଁ ଚିନ୍ତାଜନକ କଥା ହୋଇଛି। ତେବେ କେଏଲ୍ ରାହୁଲ ଅପରାଜିତ ରହିବା ଆଶା ଦେଇଛି। ମହମ୍ମଦ ସିରାଜ ଓ ୱାସିଂଟନ୍ ସୁନ୍ଦରଙ୍କ ସ୍ମରଣୀୟ ସ୍ପେଲ୍ ଏବଂ ଶେଷ ଆଡ଼କୁ ଯଶପ୍ରୀତ୍ ବୁମ୍‌ରାଙ୍କ ୟର୍କର ବାଣରେ ଘାଇଲା ହୋଇ ଇଂଲଣ୍ଡ ଦ୍ବିତୀୟ ପାଳି ମାତ୍ର ୧୯୨ ରନ୍‌ରେ ଅଟକିବା ପରେ ଭାରତ ବିଜୟ ବାସ୍ନା ପାଇଛି। ହେଲେ ଓପନର୍ ଯଶସ୍ବୀ ଜୟୱାଲଙ୍କୁ ଖାତା ଖୋଲିବାର ସୁଯୋଗ ନ ଦେଇ ଏବଂ କରୁଣ ଓ ଗିଲ୍‌ଙ୍କୁ ୧୨ ରନ୍ ଭିତରେ ଶିକାର କରି ଇଂଲଣ୍ଡ ଏଥିରେ ‌ରୋମାଞ୍ଚ ଭରିଦେଇଛି। ୪ବର୍ଷ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଥିବା ଜୋଫ୍ରା ଆର୍ଚର ପ୍ରଥମ ପାଳି ଭଳି ଦ୍ବିତୀୟରେ ମଧ୍ୟ ଜୟସ୍ବାଲ୍‌ଙ୍କୁ ଶସ୍ତାରେ ଆଉଟ୍ କରି ଭାରତର ଚିନ୍ତାକୁ ବଢ଼ାଇଛନ୍ତି। ଗିଲ୍ ଓ ନାୟରଙ୍କୁ ବ୍ରାଏଡନ୍ କାର୍ସ ପ୍ୟାଭିଲିୟନ୍ ଫେରାଇ ଦେଇଛନ୍ତି। ରାତ୍ର ଜଗୁଆଳି ଆକାଶ ଦୀପଙ୍କୁ ଇଂଲଣ୍ଡ ଅଧିନାୟକ ବେନ୍ ‌ଷ୍ଟୋକ୍ସ ବୋଲ୍‌ଡ କରିବା ସହ ରବିବାରର ଖେଳ ଶେଷ ହୋଇଛି। 


ଇଂଲଣ୍ଡ ରବିବାର ଚତୁର୍ଥ ଦିନରେ ଦ୍ବିତୀୟ ପାଳି ଆରମ୍ଭ କରି ମାତ୍ର ୨୯ ବଲ୍‌ ପରେ ବେନ୍ ଡକେଟ୍‌ଙ୍କୁ ହରାଇଥିଲା। ମାତ୍ର ୪୨ ରନ୍‌ରେ ଉଭୟ ଓପନର୍‌ଙ୍କୁ ହରାଇଥିଲା ଘରୋଇ ଦଳ। ଭୟଙ୍କର ବୋଲିଂ କରୁଥିବା ସିରାଜ ଉଭୟଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ। ପ୍ରଥମ ପରିବର୍ତ୍ତନରେ ଆସିଥିବା ନୀତୀଶ କୁମାର ରେଡ୍ଡୀ ଜ୍ୟାକ କ୍ରଲିଙ୍କୁ ଦ୍ବାଦଶ ଓଭରରେ ଶିକାର କରିନେବା ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା।  ଆକାଶଦୀପ ତାଙ୍କ ପ୍ରଥମ ସ୍ପେଲ୍‌ରେ ହ୍ୟାରି ବ୍ରୁକ୍‌ଙ୍କୁ ଆଉଟ୍ କରିବାରୁ ଇଂଲଣ୍ଡ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୯୮/୪ରେ ସଂଘର୍ଷ କରୁଥିଲା। ଏହା ପରେ ଅଧିନାୟକ ବେନ୍‌ ଷ୍ଟୋକ୍ସ ଏବଂ ପୂର୍ବତନ ଅଧିନାୟକ ଜୋ ରୁଟ୍‌ ୬୭ ରନ୍‌ ଭାଗୀଦାରି କରି ଚାପ ପକାଇଥିଲେ।


ଠିକ୍ ପରେ ପରେ କିନ୍ତୁ ୱାସିଂଟନ୍ ସୁନ୍ଦର ଇଂଲଣ୍ଡ ମଧ୍ୟକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଚା’ପାନ ବିରତି ପୂର୍ବରୁ ରୁଟ୍‌ ଓ ସ୍ମିଥ୍‌ଙ୍କୁ ବୋଲ୍ଡ କରି ଜବରଦସ୍ତ ମୋଡ଼ ଆଣିଥିଲେ। ପ୍ରଥମ ପାଳିର ଶତକ ହାସଲକାରୀ ଜୋ ରୁଟ୍‌ଙ୍କୁ ୱାସିଂଟନ୍ ଅର୍ଦ୍ଧଶତକର ୧୦ ରନ୍ ପୂର୍ବରୁ ଚତୁରତାର ସହ ବୋଲ୍ଡ କରିବା ଉଲ୍ଲେଖନୀୟ ରହିଥିଲା। ଶର୍ଷ ଓ ମଧ୍ୟକ୍ରମ ବିଫଳ ହେବା ପରେ ଇଂଲଣ୍ଡର ଲାଞ୍ଜ ଲଢ଼ିବ ବୋଲି ଆଶା କରାଯାଉଥିଲା। ହେଲେ ବ୍ରାଏଡନ୍ କାର୍ସ ଓ କ୍ରିସ୍ ଓକ୍ସଙ୍କୁ ୩ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଇଂଲଣ୍ଡର ଏହି ଆଶାକୁ ଧୂଳିସାତ୍ କରିଥିଲେ ଯଶପ୍ରୀତ୍ ବୁମରା। ଆହତ ସ୍ପିନର ସୋଏବ ବସିର ଚମତ୍କାର ବୋଲିଂ କରୁଥିବା ୱାସିଂଟନ୍‌ଙ୍କୁ ବୁଝିବା ପୂର୍ବରୁ ତିନିଟି ଯାକ ଖାଡ଼ି ହରାଇବା ପରେ ଇଂଲଣ୍ଡ ଦ୍ବିତୀୟ ପାଳି କେବଳ ୬୨.୧ ଓଭରରେ ଶେଷ ହୋଇଯାଇଥିଲା। ଭାରତୀୟ ବୋଲର୍‌ମାନେ ଏମିତି ପ୍ରଭାବ ବିସ୍ତାର କରିଥିଲେ ଯେ ଇଂଲଣ୍ଡ ତା’ର ଶେଷ ୬ ୱିକେଟ୍ ୩୮ ତଥା ‌ଶେଷ ୪ ୱିକେଟ୍ କେବଳ ୧୧ ରନ୍‌ରେ ହରାଇଥିଲା। ଭାରତୀୟ ବୋଲର ଏହି ମ୍ୟାଚ୍‌ର ଉଭୟ ପାଳିକୁ ମିଶାଇ ଇଂଲଣ୍ଡର ୧୨ଜଣ ଖେଳାଳିଙ୍କୁ ବୋଲ୍ଡ କରିଛନ୍ତି, କୌଣସି ପୁରୁଷ ଟେଷ୍ଟ୍‌ ମ୍ୟାଚ୍‌ରେ ଏହା ଟିମ୍ ଇଣ୍ଡିଆର ସର୍ବାଧିକ ବୋଲ୍ଡ। ଏହା ମଧ୍ୟ ୧୯୫୫ ମସିହା ପରଠାରୁ କୌଣସି ଦଳର ସର୍ବାଧିକ ବୋଲ୍ଡ ଆଉଟ୍।


ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୮୭/୧୦ । ଭାରତ ପ୍ରଥମ ପାଳି: ୩୮୭/୧୦ । ଇଂଲଣ୍ଡ ଦ୍ବିତୀୟ ପାଳି: ୬୨.୧ ଓଭରରେ ୧୯୨ (ଜୋ ରୁଟ୍-୪୦, ବେନ୍ ‌ଷ୍ଟୋକ୍ସ-୩୩, ହ୍ୟାରି ବ୍ରୁକ୍-୨୩, ୱାସିଂଟନ୍ ସୁନ୍ଦର-୪/୨୨, ମହମ୍ମଦ ସିରାଜ-୨/୩୧, ଯଶପ୍ରୀତ୍ ବୁମ୍‌ରା-୨/୩୮, ନୀତୀଶ କୁମାର ରେଡ୍ଡୀ-୧/୨୦, ଆକାଶ ଦୀପ-୧/୩୦)। ଭାରତ ଦ୍ବିତୀୟ ପାଳି (ଲକ୍ଷ୍ୟ ୧୯୩): ୧୭.୪ ଓଭରରେ ୫୮/୪ (କେଏଲ୍ ରାହୁଲ-୩୩*, କରୁଣ ନାୟର-୧୪, ଶୁବମନ ଗିଲ୍ ୬, ବ୍ରାଏଡନ୍ କାର୍ସ-୨/୧୧, ବେନ୍ ‌ଷ୍ଟୋକ୍ସ-୧/୧୫, ଜୋଫ୍ରା ଆର୍ଚର-୧/୧୮)।

Post a Comment

Previous Post Next Post