//BREAKING//
Loading...

ଅନାସ୍ଥା ଭୋଟ ପୂର୍ବରୁ କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା

ଦେଶଦୁନିଆ ଖବର24 : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି l ସେ ଆଜି ଜୟପୁର ଉପ ଜିଲ୍ଲାପାଳ ଏ ସଶ୍ୟା ରେଡ୍ଡୀ ଏବଂ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି.ମନସ୍ମିତାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି l ସେ ତାଙ୍କ ଇସ୍ତଫା ପତ୍ରରେ ବିଗତ ଚାରି ବର୍ଷ ହେବ ବ୍ଲକ ଅଧ୍ୟକ୍ଷା ପଦବୀରେ ରହି ତାଙ୍କ ଦାୟିତ୍ଵ ଠିକ୍ ଭାବେ ତୁଲାଇ ଆସୁଥିଲେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ହେତୁ ତାଙ୍କ ଦାୟିତ୍ଵ ଠିକ୍ ରେ ତୁଲାଇ ପାରୁ ନାହାନ୍ତି l ସେ କୌଣସି ଚାପରେ ନ ପଡ଼ି ନିଜ ସ୍ଵଇଚ୍ଛାରେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି l ସୂଚନା ଥାଉକି, ଶ୍ରୀମତି ପରଜା କଂଗ୍ରେସ ଦଳର ସମର୍ଥୀତ ସମିତି ସଭ୍ଯା ଥିଲେ l ତାଙ୍କ ମନମୁଖୀ କାର୍ଯ୍ଯକୁ ବିରୋଧ କରି ଗତ ଜୁଲାଇ ମାସ ୭ ତାରିଖରେ କଂଗ୍ରେସ ସମର୍ଥିତ ୫ ସରପଞ୍ଚ ଓ ୩ ସମିତି ସଭ୍ୟସଭ୍ୟାଙ୍କ ସମେତ ୪୦ ରୁ ଉର୍ଦ୍ଧ ନେତା ଓ କର୍ମୀ ଦଳ ଛାଡ଼ିଥିଲେ l ସେବେଠାରୁ ଅଧ୍ୟକ୍ଷାଙ୍କ ପଦବୀ ଟଳମଳ ଥିଲା l ପରବର୍ତ୍ତୀ ସମୟରେ ବ୍ଲକ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଛୋଟ କଥାରେ ମନ ମାଳିନ୍ୟ ହୋଇଛି ଖୁବ୍ ଶୀଘ୍ର ସମସ୍ତ ପ୍ରତିନିଧି ଓ କର୍ମକର୍ତ୍ତା ଘର ବାହୁଡ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ l ଗତ ଅଗଷ୍ଟ ମାସ ୭ ତାରିଖରେ ବ୍ଲକର ୩୨ ଜଣ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଏକତ୍ରୀତ ଭାବେ ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀଙ୍କ ନେତୃତ୍ବରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ଯ ଯଥା ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମିତି ବୈଠକ ନ କରି ନିଜ ଇଚ୍ଛା ଅନୁସାରେ ୭,୮ ମାସକୁ ଥରେ ବୈଠକ କରିବା, ନିୟମ ଥିଲେ ବି ଷ୍ଟାଣ୍ଡିଂ କମିଟି ଗଠନ ନ କରିବା, କମିଟି ନଥିବା ଦ୍ଵାରା ପଞ୍ଚାୟତ ମାନଙ୍କରେ ଚାଲିଥିବା କୌଣସି କାର୍ଯ୍ୟର ତଦାରଖ ପାଇଁ ପ୍ରତିନିଧିଙ୍କୁ ସୁଯୋଗ ନ ମିଳିବା, ବାର୍ଷିକ କାର୍ଯ୍ୟ ଖସଡ଼ାରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସହ ଆଲୋଚନା ନକରି ନିଜ ଇଚ୍ଛା ମୁତାବକ ପ୍ରସ୍ତୁତ କରିବା l ଏହା ଦ୍ଵାରା ପ୍ରତିନିଧି ନିଜ ପଞ୍ଚାୟତ ମାନଙ୍କରେ ଜନ ସାଧାରଣଙ୍କ ଦ୍ଵାରା ଆକ୍ରୋଶର ଶିକାର ହେବା, ଅଧ୍ୟକ୍ଷା ଦାୟିତ୍ଵ ନେବାର ତିନି ବର୍ଷ ପରେ ବି ଥରେ ହେଲେ କୌଣସି ପଞ୍ଚାୟତକୁ ପରିଦର୍ଶନ ନ କରିବା ଆଦି ଅଭିଯୋଗ ନେଇ ଉପ ଜିଲ୍ଲାପାଳ ସୁଶ୍ରୀ ରେଡ୍ଡୀଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସହ ଶପଥ ପାଠ କରିଥିଲେ l ଏ ନେଇ ବି ଡି ଓ ମନସ୍ମିତାଙ୍କୁ ପଚାରିବାରୁ ଅନାସ୍ଥାକୁ ନେଇ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ହୋଇଛି, ଆସନ୍ତା କାଲି (୨୪) ଅନାସ୍ଥା ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି I ଆଜି ଅଧ୍ୟକ୍ଷା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ଜିଲ୍ଲାପାଳ ଏବଂ ଉପ ଜିଲାପାଳଙ୍କ ନିକଟକୁ ପଠାଇଛନ୍ତି l ତାଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ କାର୍ଯ୍ୟକାରୀ କରାଯିବ, ଅନାସ୍ଥା ଭୋଟ ପରିଚାଳନା ଦାୟିତ୍ଵରେ ତହସିଲଦାର ରହିଛନ୍ତି ବୋଲି କହିଛନ୍ତି l ମାଜିଷ୍ଟ୍ରେଟ ତଥା ତହସିଲଦାର ବିନୋଦ କୁମାର ନାଏକଙ୍କୁ ପଚାରିବାରୁ ଆସନ୍ତା କାଲି ଅନାସ୍ଥା ଭୋଟ ନିମନ୍ତେ ତାଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି, ସେ ସେଥିପାଇଁ ପ୍ରସ୍ତୁତ ରହିଛନ୍ତି I ଅଧ୍ୟକ୍ଷାଙ୍କ ଇସ୍ତଫା ପରେ ତାଙ୍କ ନିକଟକୁ କୌଣସି ନିର୍ଦ୍ଦେଶ ଆସିନାହିଁ, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ତାହା ପାଳନ କରାଯିବ ବୋଲି ଥିବା ସେ କହିଛନ୍ତି l


Post a Comment

Previous Post Next Post